ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ସଚିବମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏଥିସହ ବଜେଟ ପ୍ରସ୍ତୁତି ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସରକାରରେ ଚାଷୀଙ୍କୁ ଅଧିକ ଫୋକସ କରାଯାଇଛି । ତେଣୁ ଚାଷ ଜମିକୁ ପାଣି ଯୋଗାଇ ଦେବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଲୋକେ କିଭଳି ଭାବେ ବିଭିନ୍ନ ଯୋଜନାରୁ ଉପକୃତ ହେବେ ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ନିର୍ବାଚନ ସମୟରେ ସରକାରୀ ଦଳ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରକୁ କିଭଳି ଭାବେ ପୂରଣ କରାଯିବ ତାକୁ ଅନୁଧ୍ୟାନ କରି ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ପୂର୍ବ ସରକାର କାମଚଳା ବଜେଟ୍ ଆଣିଥିଲେ । ଜୁଲାଇ ମାସ ପର୍ଯ୍ୟନ୍ତ ୪ ମାସ ପାଇଁ କାମଚଳା ବଜେଟ୍ ଆସିଥିଲା । ଏଥର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅର୍ଥ ବିଭାଗ ରହିଛି । ତେଣୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ବଜେଟ୍ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।