୪ବର୍ଷ ପରେ ଲୋକସେବା ଭବନରେ ପଶିଲେ ସାମ୍ୱାଦିକ
ଆଜି ରାଜ୍ୟରେ ବିଜେପି ସରକାର କାର୍ଯ୍ୟ ଆରମ୍ଭ କରିବାର ମାତ୍ର ଏକ ଘଣ୍ଟା ମଧ୍ୟରେ ଲୋକସେବା ଭବନ( ରାଜ୍ୟ ସଚିବାଳୟ)କୁ ସାମ୍ବାଦିକମାନଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି । ସାମ୍ବାଦିକମାନେ ଆଜି ସନ୍ଧ୍ୟାରେ ଲୋକସେବା ଭବନକୁ ପ୍ରାୟ ୪ବର୍ଷ ପରେ ପ୍ରବେଶର ଅନୁମତି ପାଇଛନ୍ତି । ବିଜେଡି ସରକାର ଦ୍ୱାରା ୨୦୨୦ ମାର୍ଚ୍ଚ ମାସରେ ଲୋକସେବା ଭବନକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । ବାରମ୍ବାର ଦାବି ସତ୍ତ୍ୱେ ସରକାର ସେଥିପ୍ରତି ଭୃକ୍ଷେପ କରିନଥିଲେ ।
ଆଜି ଅପରାହ୍ନରେ ଜନତା ମଇଦାନରେ ରାଜ୍ୟର ପ୍ରଥମ ବିଜେପି ସରକାର ଶପଥ ନେବା ପରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ସାମ୍ବାଦିକମାନଙ୍କୁ ଭେଟିବେ ବୋଲି ଇଚ୍ଛାବ୍ୟକ୍ତ କରିବା ପରେ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା । ଆଉ ସାମ୍ବାଦିକମାନେ ନିଜର ସଂସ୍ଥା ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ସଚିବାଳୟକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ । ଯାହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି ।