ଆଜି ଘୋଷଣା ହେବ ମୁଖ୍ୟମନ୍ତ୍ରୀ ନାଁ
ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ଆଜି ହଟିବ ସସପେନ୍ସ। ବିଜେପି ବିଧାୟକ ଦଳ ବୈଠକରେ ଆଜି ନାଁ ସ୍ପଷ୍ଟ ହେବ। ଆଜି ଓଡ଼ିଶାରେ ପହଞ୍ଚିବେ ଦୁଇ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ। ପରେ କେନ୍ଦ୍ରୀୟ ପର୍ୟ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳ ବୈଠକ ବସିବ। ବୈଠକରେ ରାଜ୍ୟରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ଥିବାରୁ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ଏହାସହ ଉପ ମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆସନ୍ତାକାଲି ସଂଧ୍ୟା ୫ଟାରେ ଭୁବନେଶ୍ୱର ଜନତା ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଉତ୍ସବରେ ଯୋଗଦେବା ଲାଗି ପିଏମ୍ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିବା କାର୍ୟ୍ୟକ୍ରମ ରହିଛି।
