କାଲି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା, ବୁଧବାର ଶପଥ ପାଠ

ବୁଧବାର ୫ଟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ

ବୁଧବାର ଶପଥ ନେବେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୫ଟାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କରିବେ । ୨ଟା ୩୦ରେ ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରୁ ସିଧା ରାଜଭବନ ଯିବେ ସେଠାରୁ ଜନତା ମଇଦାନ ଯାଇ ଶପଥ ଉତ୍ସବ ସମାରୋହରେ ପହଞ୍ଚିବେ ମୋଦି । କାଲି ବସିବ ବିଧାୟକ ଦଳ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରାଯାଇପାରେ । ମୁଖ୍ୟମନ୍ତ୍ରୀ ସସପେନ୍ସକୁ ନେଇ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବଡ ବୟାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରେସରେ ଗିରୀଶ ମୁର୍ମୁଙ୍କ ନାଁ ଚର୍ଚ୍ଚାକୁ ନେଇ ବିଜୟ ପାଲ ସିଂ ତୋମାର କହିଛନ୍ତି, ମୋ ଜାଣିବାରେ ସେଭଳି କିଛି ନାହିଁ, ବିଧାୟକ ଦଳ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ହେବ । ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଖୁବ ଶୀଘ୍ର ନିଆଯିବ । ଏଥିରେ କୌଣସି ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୨ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ବିଧାୟକ ଦଳ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜୟ ପାଲ ସିଂ ତୋମାର । ଦିଲ୍ଲୀରୁ ଫେରି ସୁରେଶ ପୂଜାରୀ କହିଛନ୍ତି କହିଛନ୍ତି, ଜଣେ ୨୪ କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ଦିଲ୍ଲୀ ଗସ୍ତକୁ ନେଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ନିରାଧାର କହିବା ସହ ସୁରେଶ କହିଛନ୍ତି, ଜଣେ ପୂର୍ବତନ ସାଂସଦ, ପୂର୍ବତନ ରାଜ୍ୟ ସଭାପତି ଓ ବିଧାୟକ ହିସାବରେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇଥିଲି । ମୁଖ୍ୟମନ୍ତ୍ରୀ ପଦ ନେଇ କେନ୍ଦ୍ର ନେତୃତ୍ୱ ଚର୍ଚ୍ଚା କରିବା ସହ ନିଷ୍ପତ୍ତି ମଧ୍ୟ ନେବେ । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ତାହା ହିଁ ମାପ ଦଣ୍ଡ । ଜଣେ ୨୪ କ୍ୟାରେଟ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ । ଓଡିଶା ଅସ୍ମିତା, ସଂସ୍କୃତି ଓ ଭାଷାକୁ ବିଶ୍ବ ଦରବାରରେ ପହଞ୍ଚାଇ ପାରୁଥିବା ଲୋକ ମୁଖ୍ୟମନ୍ତ୍ରୀ ହେବେ । ଅତୀତ ସରକାର ଭଳି ଅଣଓଡ଼ିଆ ପ୍ରଶାସନ ହାତରେ ବିଜେପି ଶାସନ ଡୋରି କେବେ ଦେବ ନାହିଁ । ବିଜେପିରେ ନେତୃତ୍ୱର ଅଭାବ ନାହିଁ ବୋଲି କହିଛନ୍ତି ସୁରେଶ ପୂଜାରୀ ।