ଦିଲ୍ଲୀ ପଳାଇଲେ ପାଣ୍ଡିଆନ୍ !

ଦିଲ୍ଲୀ ପଳାଇଲେ ପାଣ୍ଡିଆନ୍!

ଦିଲ୍ଲୀ ପଳାଇଲେ ପାଣ୍ଡିଆନ୍ । ରାତିରେ ବିମାନ ଯୋଗେ ସେ ଦିଲ୍ଲୀ ପଳାଇଥିବା ଜଣାପଡିଛି । ବିଜେଡି ସରକାରର ବିପର୍ଯ୍ୟୟ ପଛରେ ପାଣ୍ଡିଆନଙ୍କର ଗୋଟିଏ ବଡ ଭୂମିକା ରହିଛି ବୋଲି କୁହାଯାଉଛି । ହେଲେ ପରାଜୟ ପାଇଁ ସେ ଉତରଦାୟିତ୍ୱ ନେବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । କିନ୍ତୁ ଫଳାଫଳ ଘୋଷଣା ପରଠୁ ସେ ନିରୁଦ୍ଦିଷ୍ଟ ଥିବା ବେଳେ ହଠାତ ତାଙ୍କ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଏକାକୀ ଟ୍ରଲି ବ୍ୟାଗ ଧରି ବିମାନରେ ଯାଉଥିବା ଦେଖିବାକୁ ମିଳିଛି ।

ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ଆଉ ବିଜେଡିର ଏହି ବିପର୍ଯ୍ୟୟ ପାଇଁ କିଏ ଦାୟୀ , ସେ ନେଇ ଚର୍ଚ୍ଚା ଚାଲିଛି । ନବୀନ ନିବାସରେ ନେତାଙ୍କ ବୈଠକ ବସୁଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ ଥିବା ଭି.କେ.ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନି । ଯାହା ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।ନିର୍ବାଚନ ଫଳାଫଳକୁ ଆସିବାର ଦୁଇ ଦିନ ପରେ ବି ଭି.କେ.ପାଣ୍ଡିଆନ କୁଆଡେ ଗଲେ, ସେ ନେଇ ସାରାରାଜ୍ୟରେ ଚର୍ଚ୍ଚା ଥମୁନି । ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ପ୍ରମୁଖ ଗଣମାଧ୍ୟମରେ ପାଣ୍ଡିଆନ କୁଆଡେ ଗଲେ ବୋଲି ଆଲୋଚନା ହେଉଛି । ପ୍ରଶ୍ନ କରୁଛନ୍ତି, ଚଳିତ ନିର୍ବାଚନରେ ବିଜେଡିର ଯଦି କୌଣସି ନେତା ସର୍ବାଧିକ ପ୍ରଚାର କରିଛନ୍ତି ଏବଂ ଗାଁରୁ ସହର ନିଜର ଉପସ୍ଥିତି ଜାହିର କରିଛନ୍ତି ସେ ହେଉଛନ୍ତି ପାଣ୍ଡିଆନ୍ । ଏହି ଚର୍ଚ୍ଚା ଭିତରେ ଖବର ଆସିଛି, ସେ ଗତକାଲି ସନ୍ଧ୍ୟାରେ ଦିଲ୍ଳୀ ଚାଲି ଯାଇଛନ୍ତି । କିନ୍ତୁ ଦିଲ୍ଲୀରେ କେଉଁଠି ଅଛନ୍ତି, କଣ କରୁଛନ୍ତି, ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ । ତେବେ ବିଜେଡିର ନେତାଙ୍କ ବୈଠକରେ ମଧ୍ୟ ପାଣ୍ଡିଆନ୍ ଅନୁପସ୍ଥିତ ରହିବା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।