ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ?

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପଛରେ ଷଡ଼ଯନ୍ତ୍ର!

ବାରିପଦା ସଭାରେ ରାଜ୍ୟ ସରକାରଙ୍କ ଉପରେ ଆଜି ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପ୍ରସଙ୍ଗ ଉଠାଇଛନ୍ତି । ଆଉ ପ୍ରଶ୍ନ କରିଛନ୍ତି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ମାତ୍ରାରେ ଖରାପ ହେଲା କେମିତି ? ଏଥିପାଇଁ କିଏ ଦାୟୀ ? ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପଛରେ କାହାର ଷଡ଼ଯନ୍ତ୍ର ନାହିଁ ତ ? ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଭଳି ପ୍ରଶ୍ନ ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି । ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା ? ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ବୋଲି ସେ କହିଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି ? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି ବୋଲି ମଧ୍ୟ ମୋଦି ପ୍ରଶ୍ନ କରିଛନ୍ତି ।
ଲୋକଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ଉପରୁ ବା ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତା’ର ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି ମୋଦି ।