ପାଟକୁରାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା

‘ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’

କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଟକୁରାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ହିମନ୍ତ ବିଶ୍ୱଶର୍ମା । ସେ କହିଛନ୍ତି, ଏ ରାଜ୍ୟକୁ ଯଦି ଭଲ ସରକାର ମିଳେ, ଓଡ଼ିଶା ୧ ନମ୍ବର ହୋଇପାରିବ । ଏବେ ଓଡ଼ିଶାର ହାଲତ କଣ ଅଛି ସମସ୍ତେ ଦେଖିପାରୁଥିବେ । କାମ ଧନ୍ଦା ତଲାସ ପାଇଁ ଓଡ଼ିଶାର ଯୁବକ ବାହାରକୁ ପଳାଉଛନ୍ତି । ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ପିଲାଙ୍କୁ କାମ ମିଳୁନାହିଁ । ଓଡ଼ିଶାର ସଂପଦ ବାହାର ଲୋକଙ୍କୁ ଟ୍ରାନ୍ସଫର କରାଯାଉଛି । ରାଜ୍ୟରେ ୧ ଲକ୍ଷ ଚାକିରି ଖାଲିପଡ଼ିଛି, ଯୁବକଙ୍କୁ ଚାକିରି ମିଳୁନି । ନବୀନ ବାବୁ ଚାହିଁଥିଲେ, ୧ ବର୍ଷରେ ୧ ଲକ୍ଷ ଚାକିରି ଦେଇପାରିଥାନ୍ତେ । ଓଡ଼ିଶାରେ ବିଜେପି ସରକାର ଆସିଲେ ପ୍ରଥମ ବର୍ଷ ୧ ଲକ୍ଷ ଚାକିରି ମିଳିବ । ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା ।

ପାଣ୍ଡିଆନ୍‌ଙ୍କୁ ଆଟାକ୍ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା । ସେ କହିଛନ୍ତି, ‘ଓଡ଼ିଶାରେ ଜଣେ ଲୋକ ରାଜା ମହାରାଜା ଭଳି ବସିଛି । ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ ପାଖରେ ରହିଛି । ଓଡ଼ିଶାର ଯୁବକଙ୍କୁ କାହିଁକି ଚାକିରି ଦିଆଯାଉନି । ରତ୍ନଭଣ୍ଡାର ଚାବି ମିଳୁନାହିଁ, ତଦନ୍ତ କମିଶନ ରିପୋର୍ଟ ଚାପିଛନ୍ତି । ମୋର ବିଶ୍ୱାସ ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। ପାଣ୍ଡିଆନ ଚାବି ପାତାଳରେ ରଖିଥିଲେ ବି ବିଜେପି ଖୋଜିଆଣିବ’ । ‘୪ ଜୁନ୍ ପୂର୍ବରୁ ରତ୍ନଭଣ୍ଡାର ଚାବି ହାଇକୋର୍ଟରେ ଦେଇଦିଅନ୍ତୁ । ନହେଲେ ଆପଣଙ୍କ ହିସାବ ଆମେ ବରାବର କରିଦେବୁ । ଫାଇଭ୍ ଟି କହୁଛନ୍ତି, କୌଣସି ଟିମ୍ ୱାର୍କ ଅଛି କି ଓଡ଼ିଶାରେ । ଏଠାରେ କେବଳ ଗୋଟିଏ ଟିମ୍ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍ । ଏଠି କୌଣସି କ୍ୟାବିନେଟ କି ଅଫିସରଙ୍କ ପାୱାର ନାହିଁ । ଏଠି ଗୋଟିଏ ଟି ଅଛି, ସେ ଟି’ର ନାଁ ତାମିଲନାଡୁ’ ବୋଲି କହିଛନ୍ତି ବିଶ୍ୱଶର୍ମା । ‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି । ମାଇକ୍ ଧରି ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ନିଜ ଇସାରାରେ ନବୀନ ବାବୁଙ୍କୁ ନଚାଉଛନ୍ତି ପାଣ୍ଡିଆନ । ଯାହା ପାଣ୍ଡିଆନ କହୁଛନ୍ତି, ତାହା କରୁଛନ୍ତି ନବୀନ ବାବୁ’ ।