କଳାରେ ୮୦.୯୫%, ବାଣିଜ୍ୟରେ ୮୨.୨୭%, ବିଜ୍ଞାନରେ ୮୬.୯୩% ପାସ୍ ହାର
ପ୍ରକାଶ ପାଇଲା +୨ ପରୀକ୍ଷା ଫଳ । ଏକ ସଙ୍ଗେ ବାହାରିଲା କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । କଳାରେ ପାସ୍ ହାର ରହିଛି ୮୦.୯୫ ପ୍ରତିଶତ । ସେହିପରି ବିଜ୍ଞାନରେ ପାସ୍ ହାର ୮୬.୯୩ ପ୍ରତିଶତ ରହିଛି । ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ www.orissaresults.nic.inରେ ରେଜଲ୍ଟ ଦେଖିପାରିବେ । ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ୬୮.୦୨% ରହିଛି । ଏ ବର୍ଷ ମଧ୍ୟ ଛାତ୍ରଙ୍କଠାରୁ ଛାତ୍ରୀ ଆଗରେ ରହିଛନ୍ତି । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ୧,୦୪,୪୪୭ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୫,୯୧୩ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ରହିଛି । ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି । ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି । ସେହିପରି ମୋଟ୍ ପରୀକ୍ଷା ଦେଇଥିଲେ ୨,୩୫,୨୧୮ ଜଣ । ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧,୯୦,୪୨୯ ଜଣ । ସେହିପରି ଯୁକ୍ତ ଦୁଇ ବିଜ୍ଞାନରେ ବି ଝିଅଙ୍କ ବାଜିମାତ୍ ।
୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଜ୍ଞାନରେ ପୁଅଙ୍କ ପାସ୍ ହାର ୮୬. ୨୧ ପ୍ରତିଶତ ରହିଥିବେ ବେଳେ ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି । ମୋଟ୍ ଉପରେ ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି । ସେହିପରି କମର୍ସରେ ମଧ୍ୟ ଝିଅମାନେ କମାଲ୍ କରିଛନ୍ତି । ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍ ୮୦୬୯ ଜଣ ପାସ୍ କରିଛନ୍ତି । ସେହିପରି ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି । ଝିଅଙ୍କ ପାସ୍ ହାର ୮୫.୫୫% ରହିଥିବା ବେଳେ ପୁଅଙ୍କ ପାସ୍ ହାର ୮୦.୪୦% ରହିଛି । ବିଜ୍ଞାନରେ ୧୦୦% ସଫଳତା ଅଧିକ ମିଳିଛି । କଳା ଓ ବାଣିଜ୍ୟ ତୁଳନାରେ ବିଜ୍ଞାନରେ ଅଧିକ ଶତ ପ୍ରତିଶତ ରେଜଲ୍ଟ ଆସିଛି । କଳାରେ ୨୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଛି । ବିଜ୍ଞାନରେ ୨୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୦୦% ରେଜଲ୍ଟ ହୋଇଛି ।
ଗତ ଫେବ୍ରୁଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେପଟେ ଆଜି ସକାଳେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ । ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍ହାର ୯୬.୦୭% ରହିଛି ।