ସୃଷ୍ଟି ହେଲା ଲଘୁଚାପ, ୧୫ରୁ ରାଜ୍ୟରେ ପୁଣି ବର୍ଷା
ଲଘୁଚାପର ରୂପ ନେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ । ଲଘୁଚାପଟି ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ୧୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅବପାତଟି ବାତ୍ୟାରେ ପରିଣତ ନହେଲେ ମଧ୍ୟ ଏହାର ପ୍ରଭାବରେ ୧୫ରୁ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି । ୧୫ ଓ ୧୬ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।
